ରଥଯାତ୍ରା ସୌନ୍ଦର୍ଯ୍ୟ ଓ ବାତ୍ସଲ୍ୟର ଯାତ୍ରା। ସର୍ବ ସମନ୍ବୟର ଯାତ୍ରା। ସମଗ୍ର ବିଶ୍ବକୁ କୋଳେଇ ନେବାର ଏକ ମହାର୍ଘ ଅବସର ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ବଡ଼ଶଙ୍ଖ ଯୁବ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ୩୨ତମ ରଥଯାତ୍ରା ଲୋକନୃତ୍ୟ ମହୋତ୍ସବକୁ ଉଦଘାଟନ କରି ସେ କହିଲେ, ମହାପ୍ରଭୁ ସମଗ୍ର ବ୍ରହ୍ମାଣ୍ଡର ମାଲିକ। ସମଗ୍ର ବିଶ୍ବକୁ କୋଳାଗ୍ରତ କରି ରଖିଥିବାରୁ ତାଙ୍କର ହାତ ଦୃଶ୍ୟମାନ ହେଉନାହିଁ। ତାଙ୍କ ପାଖରେ ରାଜା, ରଙ୍କ, କୀଟ, ବୃକ୍ଷ ସମସ୍ତେ ସମାନ ବୋଲି କହିଛନ୍ତି।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ମହାପ୍ରଭୁ କଳା ପ୍ରେମୀ। ଉତ୍କଳର ପରମ୍ପରା ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ବୋଲି ସେ କହିଥିଲେ। ବିଧାୟକ ତଥା ଅନୁଷ୍ଠାନର ସଭାପତି ଜୟନ୍ତ ଷଡ଼ଙ୍ଗୀ ଶ୍ରୀକ୍ଷେତ୍ରର ବିକାଶନ୍ମୁଖୀ ପ୍ରକଳ୍ପର ପ୍ରଶଂସା କରି 2024ରେ ପୁରୀ ଧାମ ବିଶ୍ବର ଏକ ନମ୍ବର ଧାମରେ ପରିଣତ ହେବ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଗୌରହରି ପ୍ରଧାନ, ମହୋତ୍ସବ କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ, ଶଙ୍କର ପରିଡ଼ା, ଭଗବାନ ସୁଆର, ମଧୁସୂଦନ ସିଂହାରୀ, ସାଧାରଣ ସମ୍ପାଦକ ଅଶ୍ବିନୀ କୁମାର ପଣ୍ଡା, ସଂଗଠନ ସମ୍ପାଦକ ଲକ୍ଷ୍ମୀନାରାୟଣ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହି ଅବସରରେ ନାଭାଲ ବ୍ରାସବ୍ୟାଣ୍ଡର ବୃନ୍ଦ ବାଦ୍ୟ ପ୍ରଦର୍ଶିତ ହୋଇଥିଲା। ପରେ ନବ ପ୍ରତିଭା ଅନୁଷ୍ଠାନର ଶିଳ୍ପୀଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟରେ ଶ୍ରୀଗଣେଶ, ନୃତ୍ୟ ନାଟିକାରେ ମାଣିକ ଗୌଡ଼ୁଣୀ, କ୍ଲାସିକ ଏଣ୍ଟରଟେନମେଣ୍ଟର ଡାଲଖାଇ, କୋସଲି ଚଟନି ନୃତ୍ୟ, ପାରମ୍ପରିକ ମେଢ଼ ନୃତ୍ୟ, ଗଞ୍ଜାମର ପଶୁମୁଖା ନୃତ୍ୟ, ରଥପଥ ଜଗନ୍ନାଥ ନୃତ୍ୟାଭିନୟ, ରାଜସ୍ଥାନର ବନ୍ଯାରା, ମହାରାଷ୍ଟ୍ରର ଲାଭଣ ନୃତ୍ୟ, ଖୋର୍ଧା ପାଇକ ଆଖଡ଼ା, ସୁର ସଂଗୀତ ଗ୍ରୁପର ଲୋକ ସଂଗୀତ, ସାକ୍ସୋଫୋନ ସହ ମାଗାନ୍ନାଙ୍କ ବ୍ୟଙ୍ଗାତ୍ମକ ପରିବେଷଣ ଦେଖିବାକୁ ମିଳିଥିଲା। ଡାକ୍ତର ଅକ୍ଷୟ କୁମାର ସାହୁ, ଡାକ୍ତର ସୁଦର୍ଶନ ବେହେରା, ପ୍ରଶାନ୍ତ କୁମାର ମିଶ୍ର, ଶଙ୍କର୍ଷଣ ଦାଶ, ସତ୍ୟ ପାଣିଗ୍ରାହୀ, ରଜନୀକାନ୍ତ ଲେଙ୍କା, ରକ୍ଷକ ନାୟକ, ସନାତନ ଦାସ, ସଂଜୀବ କୁମାର ମହାପାତ୍ର, ଜୟଶ୍ରୀ ଧଳ, ଅନିତା ପଟ୍ଟନାୟକ, ଶକ୍ତି ସମ୍ପନ୍ନା ପରିଡ଼ା, ପବିତ୍ର କୁମାର ସ୍ବାଇଁ, ଅରିନ୍ଦ ଦାସ, ନିରଂଜନ ଓଝା, ପ୍ରକାଶ କୁମାର ଶ୍ରୀଚନ୍ଦନ, ବିକାଶ କୁମାର ଦାଶ, ରତ୍ନାକର ଦଳାଇଙ୍କୁ ସମ୍ବର୍ଧିତ କରାଯାଇଥିଲା। ଡ.ଧୀରେନ ରାୟ ଉଦଘାଟନୀ ସଭା ପରିଚାଳନା କରିଥିଲେ। ଶେଷ ଦେବ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପ୍ରସନ୍ନ କୁମାର ମିଶ୍ର, ରାଧାକାନ୍ତ ମହାପାତ୍ର, ଗୀତାଞ୍ଜଳି ପଣ୍ଡା, ରାଜକିଶୋର ସାହୁ, ପ୍ରିୟଦର୍ଶନ ମହାପାତ୍ର, ରାଜେଶ କୁମାର ସାହୁ, ଦେବାଶିଷ ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।